Abstract
ଆତ୍ମଜୀବନୀ ହେଉଛି ନିଜେ ନିଜକୁ ଲେଖିବା. ସ୍ୱୟଂ ଲେଖକ ହିଁ ଏହାର ବିଷୟବସ୍ତୁ ବା କେନ୍ଦ୍ରବିନ୍ଦୁ. ଲେଖକର ଜୀବନ, ତାର ସ୍ୱର, ସଂପର୍କ, ସ୍ମୃତି, ଅନୁଭୂତି ସବୁକିଛି ସମ୍ମିଳିତ, ସମନ୍ୱିତ ହୋଇଥାନ୍ତି ଆତ୍ମଜୀବନୀରେ. କହିବାକୁ ଗଲେ, ଏହା ଏକପ୍ରକାର ସ୍ବୀକାରୋକ୍ତି ନିଜ ସମ୍ପର୍କରେ. ମାତ୍ର ଲେଖକର ବ୍ୟକ୍ତିଗତ ଜୀବନ ଓ ତାର ବଂଶ-ପରମ୍ପରା, ସମାଜ ଓ ସେ ସାମ୍ନା କରିଥିବା ପରିସ୍ଥିତି ବା ପରିବେଶରୁ ସମ୍ପୂର୍ଣ୍ଣ ମୁକ୍ତ ରହିପାରି ନ ଥାନ୍ତି . ଏ ସବୁର ପ୍ରଭାବ ତାଙ୍କ ଜୀବନ ଉପରେ ଅବଶ୍ୟ ପଡ଼ିଥାଏ . ତେଣୁ ଆତ୍ମଜୀବନୀ ସାହିତ୍ୟ ସବୁଠି ଜୀବନ ସହିତ ସଂଶ୍ଳିଷ୍ଟ. ଏହି ଦୃଷ୍ଟିରୁ କବି ଭାବରେ ବିପୁଳ ଯଶର ଅଧିକାରିଣୀ ପ୍ରତିଭା ଶତପଥିଙ୍କ ଆତ୍ମଜୀବନୀ ‘ ଶୈଶବରୁ ସଂସାର ‘ ଏକ ଉଲ୍ଲେଖନୀୟ କୃତି. ଜଣେ ପ୍ରସିଦ୍ଧା କବୟିତ୍ରୀ ଭାବରେ ନିଜର କବିତା ମାଧ୍ୟମରେ ଅଙ୍ଗେ ନିଭାଇଥିବା ନାନା ଦୁଃଖ-କଷ୍ଟକୁ ଜଣେ ସାଧାରଣ ଓଡ଼ିଆଣୀ ଭାବରେ ଉପସ୍ଥାପିତ କରିଯାଇଛନ୍ତି ଆତ୍ମଜୀବନୀ ମାଧ୍ୟମରେ,ଯାହାକୁ ସମାଜରେ ଅଧିକାଂଶ ନାରୀ ସେମାନଙ୍କ ଦୈନନ୍ଦିନ ଜୀବନରେ ପ୍ରତ୍ୟେକଟି କ୍ଷେତ୍ରରେ ହୃଦୟଙ୍ଗମ କରୁଥିବେ.ଏହାହିଁ ଆଲୋଚନାର ଲକ୍ଷ୍ୟ ହୋଇଛି.
